କେବଳ ପୁରୀରେ ରଥଯାତ୍ରା

7

ଭୁବନେଶ୍ୱର  : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ ବିମାନ ଭକ୍ତରେ ହେବ ରଥଯାତ୍ରା । ରାଜ୍ୟର ଅନ୍ୟକୌଣସି ମନ୍ଦିରରେ ରଥ ଟଣା ହେବ ନାହିଁ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା । ସେ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ଗତବର୍ଷ ଯେଉଁସବୁ କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ଚଳିତ ବର୍ଷ ମଧ୍ୟ ସମାନ ନିୟମ ପାଳନ କରାଯିବ । ରଥଯାତ୍ରାରେ କେବଳ ସେବାୟତମାନେ ଭାଗ ନେଇପାରିବେ । ଯେଉଁ ସେବାୟତମାନେ ଦୁଇ ଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ନୀତିକାନ୍ତିରେ ଭାଗ ନେଇପାରିବେ । ଗୋଟିଏ ରଥରେ ୫୦୦ଲୋକରୁ ଅଧିକ ରହିବେ ନାହିଁ । ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ରହିବ । ସହର ମଧ୍ୟକୁ ଟ୍ରେନ୍ , ବସ୍ ଓ ଅନ୍ୟାନ୍ୟଗାଡି ଚଳାଚଳ ବନ୍ଦ ରହିବ । ଏସ୍ଆରସି ଶ୍ରୀ ଜେନା କହିଛନ୍ତି, ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ନୀତିକାନ୍ତି ସଂପନ୍ନ କରାଯାଇପାରିବ । ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ । କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ । ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନେବ । ସୂଚନା ଓ ଲୋକ ସଂପର୍କ ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍ ମାନେ ଫିଡ୍ ନେଇ ପାରିବେ । ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ । ସେହିଭଳି ରଥଯାତ୍ରାର ସ୍ଥିର ଚିତ୍ର ଉତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯିବ ।