ଭ୍ୟାକ୍‌ସିନ୍ ସଂରକ୍ଷଣକୁ ଫୋକସ୍‌: କୋଭିଡ-୧୯ ଭ୍ୟାକ୍‌ସିନ୍‌ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରିବାକୁ ରାଜ୍ୟଗୁଡ଼ିକୁ କହିଲେ ପ୍ରଧାନମନ୍ତ୍ରୀ

529

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ବଢ଼ୁଥିବା କରୋନା ସଂକ୍ରମଣ ଓ ଭ୍ୟାକସିନ୍‌ ବିତରଣ ଉପରେ ଆଲୋଚନା ହୋଇଛି। ବିଶେଷ କରି ଭ୍ୟାକ୍‌ସିନ୍‌ ଭଣ୍ଡାରଣ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି ପରାମର୍ଣ ଦେଇ କହିଛନ୍ତି, ଖୁବଶୀଘ୍ର କରୋନା ଭ୍ୟାକ୍‌ସିନ୍‌ ପାଇଁ ଶୀତଳ ଭଣ୍ଡାର ପ୍ରସ୍ତୁତି ଆରମ୍ଭ କରନ୍ତୁ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୋଦି କହିଛନ୍ତି। ଏହା ସହ ବିଶ୍ବରେ ଯେଉଁଠି ଭ୍ୟାକ୍‌ସିନ ପ୍ରସ୍ତୁତିରେ ଅଗ୍ରଗତି ହେଉଛି ତାହା ଉପରେ ସରକାରଙ୍କ ନଜର ଥିବା ବେଳେ ଭାରତୀୟ ଡେଭଲପର୍ସ ଓ ନିର୍ମାତାଙ୍କ ସହ ସରକାର ସମ୍ପର୍କରେ ଥିବା ନେଇ ମୋଦି କହିଛନ୍ତି। ଭାରତୀୟଙ୍କୁ ଶୀଘ୍ର ଓ ସୁରକ୍ଷିତ ଭ୍ୟାକ୍‌ସିନ ଦେବା ଉପ​‌ରେ ଜୋର ଦେଇଛନ୍ତି ମୋଦି। ତେବେ ରାଜ୍ୟଗୁଡ଼ିକ ସହ ଆଲୋଚନା ପରେ ଅଗ୍ରାଧିକାର ଭିତ୍ତିରେ ଭ୍ୟାକସିନ୍‌ ଦେବା ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଭ୍ୟାକ୍‌ସିନ୍‌ ବିତରଣ କରାଯିବ। ରାଜ୍ୟଗୁଡ଼ିକ ଖୁବଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ବୈଠକରେ କହିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହା ସହ ନିୟମିତ ତଦାରଖ ପାଇଁ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟି ଏବଂ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ସହ ଆଲୋଚନା କରିବାକୁ ମୋଦି ପରାମର୍ଶ ଦେଇଛନ୍ତି। ଯେମିତି କରୋନା ବିରୋଧରେ ଲଢ଼େଇ କରିବାକୁ ସମେସ୍ତ ତତ୍ପରତା ପ୍ରକାଶ କରିଛନ୍ତି ସେହି ଭଳି ସମସ୍ତଙ୍କ ଜୀବନ ବଞ୍ଚାଇବା ପାଇଁ କରୋନା ଭ୍ୟାକ୍‌ସିନ୍‌ ପହଞ୍ଚାଇବାକୁ ତତ୍ପରତା ପ୍ରକାଶ କରିବାକୁ ପଡ଼ିବ। ତେବେ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ ଯେଭଳି ସମସ୍ତଙ୍କ ପାଖରେ ସୁରକ୍ଷିତ, ବ୍ୟବସ୍ଥିତ ଓ ନିରନ୍ତର ଭାବେ ଭ୍ୟାକ୍‌ସିନ୍‌ ପହଞ୍ଚିପାରିବ ବୋଲି ମୋଦି କହିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ଭାବୁଛନ୍ତି କରୋନା ଭାଇରସ୍‌ ଦୁର୍ବଳ ହୋଇଯାଇଛି। ସେମାନେ ଶୀଘ୍ର ସୁସ୍ଥ ହୋଇପାରିବେ। ଏଭଳି ଭାବନା ବିପଦ ଆଡ଼କୁ ନେଇଯିବ। ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଉପରେ ଜୋର ଦେଉଥିବା ବେଳେ ଲୋକଙ୍କ ସଚେତନ କରିବା ଉପ​‌ରେ ଜୋର ଦେବା ଦରକାର । ତେବେ ଆମକୁ ପଜିଟିଭ୍‌ ରେଟ୍‌ ୫ ପ୍ରତିଶତ ତଳକୁ ଆଣିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ମୋଦି। ଏହା ସହ ଦେଶରେ ଆରଟିପିସିଆର ଟେଷ୍ଟିଂ ଉପରେ ଗୁରୁତ୍ବ ଦେବା ସହ ହୋମ ଆଇସୋଲେସନ୍‌ରେ ଥିବା ରୋଗୀଙ୍କ ଉପରେ ନଜର ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲୋକଙ୍କୁ ଭାଇରସ୍‌ ଠାରୁ ଯେଭଳି ଦୂରେଇ ରଖିହେବ ସେନେଇ ସଚେତନତା କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ତେବେ ସମସ୍ତଙ୍କ ଲକ୍ଷ୍ୟ ମୃତ୍ୟୁ ହାର ୧ ପ୍ରତିଶତ ତଳକୁ ଆଣିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।