ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ହେବ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

97

ଭୁବନେଶ୍ୱର: କୋଣାର୍କର ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି। ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋତ୍କୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ। ଏହା ଦର୍ଶକମାନଙ୍କ ନିମନ୍ତେ ସପୂର୍ଣ୍ଣ ଦେୟମୁକ୍ତ ରହିବ। ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କର ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି। ଉତ୍କୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ ଚଳିତ କୋଣାର୍କ ଉତ୍ସବ ୨୦୨୦କୁ ଅଧିକ ମନୋଜ୍ଞ କରି ଗଢ଼ ତୋଳିବ। ବହୁ ପ୍ରତିଭାବାନ ନୃତ୍ୟ ବିଶାରଦ ଓ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତ ନାଟ୍ୟମ, ମଣିପୁରୀ, କୁଚିପୁଡ଼ି ଏବଂ କଥକ ଦଳଗତ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୧ ତାରିଖ ଦିନ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଦେବୀ ନୃତ୍ୟାଳୟ ପକ୍ଷରୁ ଶିଲା ଉନ୍ନିକ୍ରିଷ୍ଣନ୍‌ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଡିସେମ୍ବର ୨ ତାରିଖ ଦିନ ମଣିପୁରୀ ନର୍ତ୍ତଣାଳୟ ପକ୍ଷରୁ ବିମ୍ଭାବତୀ ଦେବୀ ଓ ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସଂଜଳୀ ଏନ୍‌ଜେମ୍ବଲ୍‌ ପକ୍ଷରୁ ଶର୍ମିଳା ମୁଖାର୍ଜୀ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଡିସେମ୍ବର ୩ ତାରିଖରେ ନୃତ୍ୟାନ୍ତର ପକ୍ଷରୁ ମଧୁଲିତା ମହାପାତ୍ର ଓ ଦଳ ଓଡ଼ିଶୀ ନୃତ୍ୟ ଏବଂ କଳାସମର୍ପଣ ଫାଉଣ୍ଡେସନ୍‌ ପକ୍ଷରୁ ବସନ୍ତକଳାଲକ୍ଷ୍ମୀ ନର୍ସିଂହଚାରୀ ଓ ଦଳ କୁଚିପୁଡ଼ି ନୃତ୍ୟ ପରିବେଷଣ କରିବେ। ଡିସେମ୍ବର ୪ ତାରିଖ ଦିନ ରନନ୍‌ ପକ୍ଷରୁ ବିକ୍ରମ ଅୟଙ୍ଗାର ଓ ଦଳ କଥକ ନୃତ୍ୟ ଏବଂ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ପକ୍ଷରୁ ବିଚିତ୍ରାନନ୍ଦ ସ୍ୱାଇଁ ଏବଂ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଅନ୍ତିମ ଦିବସରେ ଜିକେସିଏମ୍‌ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଅଦିତି ମଙ୍ଗଳ ଦାସ ଓ ଦଳ କଥକ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।
କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କିଲୋମିଟର ଦୂରରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯାଉଛି। ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକାଠାରୁ ରାତି ୭ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। ଏହି ବିଶ୍ୱବ୍ୟାପି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପ୍ରତ୍ୟେକ ଦିନ ସେମାନଙ୍କର ବାଲୁକା ଚିତ୍ରକଳା ପ୍ରଦର୍ଶନ କରିବେ। ଚଳିତ ବର୍ଷ ଦେଶ ଭିତରରୁ ଯଥା ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତନାମା ୭୦ ଜଣ ବାଲୁକା କଳା ଶିଳ୍ପୀ ୨୫ଟି ଷ୍ଟଲ୍‌ରେ ସେମାନଙ୍କର ବାଲୁକା କଳା ପ୍ରଦର୍ଶନ କରିବେ।
ଚଳିତ ବର୍ଷ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଶେଷତଃ ଦର୍ଶକମାନଙ୍କର ପ୍ରବେଶ, ସାମାଜିକ ଦୂରତ୍ୱ ପାଳନ ଓ ସାନିଟାଇଜେସନ୍‌ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯିବାର ବ୍ୟବସ୍ଥା ହୋଇଛି।