ମହାନ୍ ବିପ୍ଳବୀ – ବାଘା ଯତୀନ୍‌

116

ଅକ୍ଷୟ କୁମାର ରାଉତ

ପ୍ରତି ଯୁଗରେ, ପ୍ରତି ଦେଶରେ ଦେଶପ୍ରେମୀଙ୍କର ଆର୍ବିଭାବ ଘଟେ । ଭାରତବର୍ଷର ଇତିହାସକୁ ଅନୁଶୀଳନ କଲେ ଅନେକ ଦେଶଭକ୍ତଙ୍କର ନାମ ଓ କାର୍ଯ୍ୟାବଳୀ ଦେଖିବାକୁ ମିଳେ । ଯେଉଁ କେତେ ଜଣ ଦେଶପ୍ରେମୀଙ୍କର ତ୍ୟାଗ ଉଜ୍ୱଳ ଦେଶପ୍ରେମରେ ଭାରତବର୍ଷର ଇତିହାସ ଋଦ୍ଧିମନ୍ତ ହୋଇଛି ସେମାନଙ୍କ ମଧ୍ୟରୁ ବିପ୍ଳବୀ ଯତୀନ୍ଦ୍ରନାଥ ମୁଖାର୍ଜୀ ଅନ୍ୟତମ । ଯାହାର କର୍ତ୍ତବ୍ୟବୋଧର ଭାବନାରେ ଯେଉଁ ଦେଶରେ ଜନ୍ମ, ଯାହାର ଶସ୍ୟ ଜଳ ଦ୍ୱାରା ସେ ପରିପୃଷ୍ଠ ଓ ବାୟୁରେ ଜୀବିତ ସେହି ଦେଶପ୍ରତି ତାଙ୍କର ପରମ ଶ୍ରଦ୍ଧା ଭକ୍ତି ରବିବା ବିଧେୟ । ସେହି ମହାନ ଦେଶପ୍ରେମୀଙ୍କର ଜନ୍ମ ପଶ୍ଚିମ ବଙ୍ଗଳାର ନଦିଆ ଜିଲ୍ଲା କାୟାଗ୍ରାମରେ ସମ୍ଭବତଃ ୧୮୭୯ ମସିହା ଡିସେମ୍ବର ୭ ତାରିଖରେ ହୋଇଥିଲା । ତାଙ୍କ ମା’ଙ୍କ ନାଁ ଶାରଦା ଶଶୀ ଦେବୀ ଓ ପିତାଙ୍କ ନାମ ଉମେଶ ଚନ୍ଦ୍ର ମୁଖାର୍ଜୀ ।
ପିଲାଟି ଦିନରୁ ବାପାଙ୍କୁ ହରାଇ ମା’ଙ୍କ ଯତ୍ନରେ ସେ ବଢ଼ିଥିଲେ । ସେ ଦିନେ ଖେଳପଡିଆରୁ ଆସିବା ସମୟରେ କୁକୁରଟିକୁ ଦେଖି ଛାନିଆ ହୋଇଗଲେ । ତାଙ୍କ ପାଟି ଶୁଣି ମା କହିଲେ ତୁ ସାହସର ସହିତ ଛିଡା ହୋଇଯା ଦେଖିବୁ କୁକୁରଟି ହଟିଯିବ । ସେୟା ହେଲା କୁକୁରଟି ପଳାଇଗଲା । ମା ଯତୀନ୍‌କୁ ବୁଝାଇଦେଲେ ବିପଦ ଆସିଲେ ସାହାସର ସହିତ ତାର ମୁକାବିଲା କଲେ ବିପଦ ଟଳିଯିବ । ଦିନେ ଯତୀନ୍ ନଦୀରେ ଗାଧୋଇବା ବେଳେ ଜୁଆର ପାଣି ମାଡିଆସିଲା । ଯତୀନ୍ ନଦୀ ଭିତରେ ଏକ ବଡ ପଥର ଉପରକୁ ଉଠିଯାଇ କାନ୍ଦିବାକୁ ଲାଗିଳେ । ସାଙ୍ଗମାନେ ଯତୀନ୍‌ଙ୍କ ମା’କୁ ଡାକିଲେ । ମା କହିଲେ ମୋ ପୁଅ ଭାରି ସାହାସୀ, ସେ ନିଜେ ପହଁରି ପହଁରି କୂଳକୁ ଆସିବ । ଯତୀନ୍ ମା’ଙ୍କ କଥାରେ ପହଁରି ପହଁରି ନଦୀକୂଳକୁ ଆସିଲେ ।
ଦିନେ ଯତୀନ୍ ସାଙ୍ଗମାନଙ୍କ ସହିତ ବଣଭୋଜି କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ଗୋଟିଏ ହରିଣ ଛୁଆକୁ ସାଙ୍ଗମାନେ ଗୁଳି କରି ଧରିଆଣିଲେ । ଯତୀନ୍‌ଙ୍କର କିନ୍ତୁ ହରିଣ ଛୁଆଟି ପ୍ରତି ଦୟା ଆସିଲା । ସେ ହରିଣଟିକୁ ନମାରି ତାର ସେବା କରି ସୁସ୍ଥ କଲେ । ଦିନେ ଯତୀନ୍ ହରିଣ ଛୁଆଟିକୁ ଜଙ୍ଗଲରେ ଛାଡିଦେଲେ କିନ୍ତୁ ହରିଣଟି ଜଙ୍ଗଲକୁ ଗଲା ନାହିଁ । ସେ ଯତୀନ୍‌ଙ୍କ ପଛେ ପଛେ ତାଙ୍କ ଘରକୁ ପଳାଇଆସିଲା । ଦିନକର ଘଟଣା । ସାଙ୍ଗମାନଙ୍କ ସହିତ ଯତୀନ୍ ଜଙ୍ଗଲ ରାସ୍ତାରେ ଆସୁଥାନ୍ତି । ବାଘର ଗର୍ଜନ ଶୁଣି ସାଙ୍ଗମାନେ ଭୟରେ ଦୌଡି ପଳାଇଲେ । ବାଘଟି ଯତୀନ୍‌ଙ୍କ ଉପରକୁ ଝାମ୍ପ ମାରିଲା । ଉଭୟଙ୍କ ମଧ୍ୟରେ କିିଛି ସମୟ ଲଢ଼େଇ ଚାଲିଲା । ଲଢ଼େଇରେ ବାଘଟି ମରିଗଲା । ଯତୀନ୍‌ର ସାଙ୍ଗମାନେ ଏ କଥା ଚାରିଆଡେ ପ୍ରଚାର କରିଦେଲେ । ସେହି ଦିନଠାରୁ ତାଙ୍କୁ ସମସ୍ତେ ଯତୀନ୍ ବଦଳରେ ବାଘାଯତୀନ୍ ବୋଲି କହିଲେ । ସେ ମା’ଙ୍କଠାରୁ ସାହାସିକତା ଓ ବିପଦବେଳେ ଧର୍ଯ୍ୟ ଧରିବା ଶିକ୍ଷା କରିଥିଲେ । ଇଂରେଜମାନଙ୍କର ଅତ୍ୟାଚାରରୁ ନିଜ ମାତୃଭୂମିକୁ ରକ୍ଷା କରିବାକୁ ସଦାସର୍ବଦା ଚେଷ୍ଟା କରିବୁ, ମା’ଙ୍କର ଏହି ପଦିକ କଥା ତାଙ୍କର ସବୁଦିନ ପାଇଁ ମନେଥିଲା । ରେଳଗାଡିରେ ଯାତ୍ରା ସମୟରେ ଯତୀନ୍ ସିଲିଗୁଡି ଷ୍ଟେସନରେ ଦେଖିଲେ ଚାରିଜଣ ଗୋରା ସୈନିକ ଝିଅବୋହୂମାନଙ୍କୁ ଅପମାନିତ କରୁଥାନ୍ତି । ଏହି ଘଟଣା ତାଙ୍କ ଦେହରେ ଗଲାନାହିଁ । ପାଣି ପିଇବା ପାଇଁ ଯତୀନ୍ ରେଳଗାଡିରୁ ଓହ୍ଲାଇଲା ବେଳେ ଜଣେ ସୈନିକ ତାଙ୍କୁ ଧକ୍‌କା ମାରିଦେଲେ । ଯତୀନ୍ ସାଙ୍ଗେ ସାଙ୍ଗେ ଚାରିଜଣ ସୈନିକଙ୍କୁ ଭଲଭାବରେ ମୁଥମାରି ତଳେ ପକାଇଦେଲେ । ସୈନିକମାନେ ଆଉ ସାହସ କଲେ ନାହିଁ ଲଢ଼ିବା ପାଇଁ ଯତୀନ୍‌ଙ୍କ ସହିତ ।
ଯତୀନ୍ କ୍ରିଷ୍ଣାନଗର ଆଙ୍ଗୋଲ ଭରନାକୁଲାର ସ୍କୁଲରେ ପାଠପଢ଼ା ଶେଷ କରି କଲିକତା ସେଣ୍ଟ୍ରାଲ କଲେଜରେ ଫାଇନ୍ ଆର୍ଟସ୍ ପାଠ ପଢ଼ିଲେ । ତାଙ୍କର ବିଭାଘର ଇନ୍ଦୁବାଳା ବାନାର୍ଜୀଙ୍କ ସହିତ ହୋଇଥିଲା । ସେ ଚାରୋଟି ସନ୍ତାନର ଜନକ ହୋଇଥିଲେ । ଯତୀନ୍ ବଙ୍ଗଳା ସରକାରଙ୍କ ଅଧୀନରେ ଚାକିରିଟିଏ କରିଥିଲେ । ଏହି ସମୟରେ ବଙ୍ଗଳାରେ ପ୍ଲେଗ୍ ରୋଗ ଦେଖାଦେଲା । ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ଲୋକଙ୍କ ସେବାରେ ଯତୀନ୍ ଲାଗିପଡିଲେ । ଏହି ସେବା ସମୟରେ ଯତୀନ୍‌, ଅରବିନ୍ଦ ଘୋଷ ପ୍ରଭୃତି କେତେଜଣ ଦେଶଭକ୍ତଙ୍କ ସହିତ ପରିଚିତ ହେଲେ । ସେମାନଙ୍କ ପରାମର୍ଶ ଅନୁଯାୟୀ ସେ ‘ଯୁଗାନ୍ତର’ ନାମରେ ଏକ କ୍ରାନ୍ତିକାରୀ ଦଳ ଗଠନ କଲେ । ଏହି ସଙ୍ଗଠନର ଲକ୍ଷ୍ୟ ହେଲା ଦେଶକୁ ସ୍ୱାଧୀନ କରିବା । ଇଂରେଜ ସରକାରଙ୍କୁ ଦେଶରୁ ତଡିବା । ଗୋରା ସରକାର ଅରବିନ୍ଦ ଘୋଷଙ୍କୁ ଗିରଫ କଲେ । ଆଲ୍ଲିପୁର କୋର୍ଟରେ ତାଙ୍କର ବିଚାର ଚାଲିଥାଏ । ଏହି ସମୟରେ ଇଂରେଜ ସରକାରଙ୍କ ଡେପୁଟି ସୁପରିଟେଣ୍ଡ୍‌ଣ୍ଟ ଓ ସରକାରୀ ଓକିଲଙ୍କୁ ହତ୍ୟା କରାଗଲା । ଏହି ଦୋଷରେ ଯତୀନ୍‌ଙ୍କୁ ସରକାର ଗିରଫ କଲେ । କିଛି ଦିନପରେ ଯତୀନ୍ ଜେଲ୍‌ରୁ ମୁକ୍ତି ଲାଭକଲେ ।
ପ୍ରଥମ ବିଶ୍ୱ ଯୁଦ୍ଧ ଚାଲିଥାଏ । ଏହି ସମୟରେ ଯତୀନ୍ ଦେଶପ୍ରେମୀମାନଙ୍କୁ ଏକଜୁଟ କଲେ । ଚତୁରତାର ସହିତ ଯତୀନ୍ ହାୱଡାରେ ଥିବା ଇଂରେଜମାନଙ୍କର ଅସ୍ତ୍ରଭଣ୍ଡାରରୁ ଅସ୍ତ୍ର ଚୋରାଇ ଆଣିଲେ । ଯତୀନଙ୍କୁ ପୋଲିସ୍ ଧରିବା ପାଇଁ ଚାରିଆଡେ ଜାଲ ବିଛାଇଲା । ତେଣୁ ଯତୀନ୍ ପଞ୍ଜାବ ପଳାଇଲେ । ସେ ବର୍ମା, ସିଙ୍ଗାପୁର, ଜାଭା ଆଦି ବହୁ ସ୍ଥାନରେ ଲୋକମାନଙ୍କୁ ସ୍ୱାଧୀନତା ପାଇଁ ମତାଇଲେ । ଗୋରା ସରକାରଙ୍କ ସହିତ ଲଢ଼ିବା ପାଇଁ ଆସ୍ତ୍ରଶସ୍ତ୍ର ଆବଶ୍ୟକତା ଯୋଗୁ ସେ ଜର୍ମାନ୍ ଓ ଜାପାନ ସହିତ ସମ୍ପର୍କ ରଖିଲେ । ଜର୍ମାନରୁ ଅସ୍ତ୍ର ଆସିବା ଠିକ୍ ହେଲା । ଦେଶଭକ୍ତ ମାନଙ୍କୁ ଏକତ୍ରିତ କରି କାର୍ଯ୍ୟ କରିବା ପାଇଁ ‘ହରି ଏଣ୍ଡସନ୍‌’ ଓ ଶ୍ରମଜୀବୀ ସମବାୟ ଅନୁଷ୍ଠାନ ଏବଂ ବାଲେଶ୍ୱରରେ ‘ୟୁନିଭର୍ସାଲ୍ ଏମ୍ପୋରିୟମ୍‌’ ନାମକ ଅନୁଷ୍ଠାନ ସ୍ଥାପନ କରାଗଲା । ଜର୍ମାନରୁ ତିନୋଟି ଗୋଳାବାରୁଦ ବୋଝେଇ ଜାହାଜ ଭାରତକୁ ଆସିଲା । ମେଭ୍‌ରିକ୍ ଜାହାଜରୁ ଅସ୍ତ୍ରଶସ୍ତ୍ର ବାଲେଶ୍ୱର ଉପକୂଳରେ ଓହ୍ଲାଇବା ପାଇଁ ଯତୀନ୍ ଦାୟିତ୍ୱ ନେଲେ । ତାଙ୍କ ସହିତ ଯତୀନ୍ଦ୍ର ପାଲ ନରେନ୍ଦ୍ର ଦାସଗୁପ୍ତ, ମନୋରଞ୍ଜନ ସେନଗୁପ୍ତ, ଚିତ୍ତପ୍ରିୟ ରାୟ କପ୍ତିପଦା ଜଙ୍ଗଲରେ ସନ୍ନ୍ୟାସୀ ବେଶରେ ଲୁଚିକରି ରହିଥିଲେ । ଫ୍ରାନ୍ସ ସରକାର ମେଭ୍‌ରିକ୍ ଜାହାଜର ସନ୍ଧାନ ଇଂରେଜ ସରକାରଙ୍କୁ ଜଣାଇ ଦେବାରୁ ଯତୀନ୍‌ଙ୍କର ସମସ୍ତ ପରିଶ୍ରମ ବ୍ୟର୍ଥ ହେଲା । ମେଭ୍‌ରିକ୍ ଜାହାଜ ଉପରେ ଇଂରେଜମାନଙ୍କର ଚାରୋଟି ଜାହାଜ ଚଢ଼ଉ କରିଦେଲେ । ସାଙ୍ଗରେ ଆଣିଥିବା ସମସ୍ତ ଅସ୍ତ୍ରଶସ୍ତ୍ରକୁ ସେମାନେ ସମୁଦ୍ରରେ ଫୋପାଡିଦେଇ ଚାଲିଗଲେ ।
ଇଂରେଜ ସରକାର ଆନ୍ଦୋଳନକାରୀ ମାନଙ୍କର ଆନ୍ଦେଳନକୁ ଦମନ କରିବାକୁ ସବୁପ୍ରକାର ପନ୍ଥା ଅବଲମ୍ବନ କରୁଥାଆନ୍ତି । ସେମାନେ ଖବର ପାଇଲେ ଯେ କିଛି ଆନ୍ଦୋଳନକାରୀ ସନ୍ନ୍ୟସୀ ବେଶରେ କପ୍ତିପଦା ଜଙ୍ଗଲରେ ରହୁଛନ୍ତି । ସେମାନେ କାଳବିଳମ୍ବ ନକରି କପ୍ତିପଦା ଜଙ୍ଗଲକୁ ଚାରିପଟୁ ଘେରିଗଲେ । ଯତୀନ୍ ଓ ତାଙ୍କର ସାଥିମାନେ କୌଶଳରେ ଜଙ୍ଗଲରୁ ପଳାଇ ଯାଇ ରେଳଗାଡି ଯୋଗେ ଦୂରକୁ ପଳାଇଗଲେ । ବିପଦର ସୂଚନା ପାଇଁ ଯତୀନ୍ ଓ ତାଙ୍କର ସାଥିମାନେ ଚଳନ୍ତା ରେଳଗାଡିରୁ ଡେଇଁପଡିଲେ । ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ଚଷାଖଣ୍ଡ ଗାଁ ନିକଟରେ ଦୁଇଜଣ ଇଂରେଜ ଗୋଲାମ ସୁଦାମ ଗିରି ଓ ରାଜୁ ମହାନ୍ତି ଯତୀନ୍‌ଙ୍କୁ ଚିହ୍ନିପାରି ଇଂରେଜମାନଙ୍କୁ ଖବର ଦେଇଦେଲେ । କାଳ ବିଳମ୍ବ ନକରି ଇଂରେଜ ସରକାର ଚଷାଖଣ୍ଡ ଗାଁ ନିକଟ ଜଙ୍ଗଲକୁ ଘେରିଗଲେ । ଉଭୟଙ୍କ ମଧ୍ୟରେ ଚାଲିଲା ଘାମାଘୋଟ ଲଢ଼େଇ । ଯତୀନ୍ ଗୁଳିର ଜବାବ ଗୁଳିରେ ଦେଲେ । ଯତୀନ୍ ଓ ତାଙ୍କ ସାଙ୍ଗମାନଙ୍କ ଗୁଳିମାଡରେ ଇଂରେଜ ସୈନ୍ୟମାନେ ଛିନ୍‌ଛତ୍ର ହୋଇଗଲେ । ଇଂରେଜ ସୈନିକଙ୍କ ଗୁଳିରେ ଚିତ୍ତପ୍ରିୟ ଟଳିପଡିଲେ । ଯତୀନ୍ ଗୁଳିମାଡରେ ମୂର୍ଚ୍ଛା ହୋଇଗଲେ । ଇଂରେଜ ସୈନ୍ୟମାନେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନେଇଗଲେ । ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଯତୀନ୍‌ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ସେ ପାଣି ପାଣି ବୋଲି ଚିତ୍କାର କଲେ । ଟେଗାର୍ଟ ସାହେବ ତାଙ୍କୁ ପାଣି ଦେବାରୁ ସେ ପାଣି ଫେରାଇ ଦେଇ କହିଲେ ଟେଗାର୍ଟ ସାହେବ ପାଣି ବଦଳରେ ତୁମେ କଣ ମୋ ଦେଶକୁ ଛାଡି ଚାଲିଯାଇପାରିବ । ମୋ ଦେଶବାସୀଙ୍କୁ ସ୍ୱାଧୀନତା ଫେରାଇ ଦେଇପାରିବ । ଟେଗାର୍ଟ ସାହେବ ଯତୀନ୍‌ଙ୍କର ଏଭଳି ଦେଶଭକ୍ତି ଦେଖି ନିରବ ରହିଲେ । ଶେଷରେ ୧୯୧୫ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ ବିପ୍ଳବୀ ବାଘାଯତୀନ୍ ଭାରତମାତାଙ୍କୁ ପ୍ରଣାମ କରି ଶେଷ ନିଶ୍ୱାସ ତ୍ୟାଗକରି ସବୁଦିନ ପାଇଁ ଆଖି ବୁଜିଦେଲେ । ହେଲେ ଆଜି ବି ସେହି ମହାନ ବିପ୍ଳବୀଙ୍କର ବାଣୀ ଆମମାନଙ୍କ ହୃଦୟରେ ଗୁଞ୍ଜରିତ ହେଉଛି ।
ପାରାଦ୍ୱୀଗଡ, କୁଜଙ୍ଗ, ଜଗତ୍‌ସିଂହପୁର