୨୬/୧୧ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଥିଲେ ମନମୋହନ ସିଂହ

92

ଓ୍ଵାଶିଂଟନ ୧୭।୧୧: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ପ୍ରକାଶିତ ହେବା ପରଠୁ ଭାରତୀୟ ରାଜନୀତିର ଅନେକ ପ୍ରସଙ୍ଗ ଏବେ ସରଗରମ ହୋଇ ଉଠିଛି। ଓବାମା ନିଜର ନୂତନ ପୁସ୍ତକରେ ଦାବି କରିଛନ୍ତି ଯେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଥିଲେ। ଏଥିପାଇଁ ତାଙ୍କୁ ରାଜନୈତିକ କ୍ଷତି ସହିବାକୁ ପଡିଛି। ସିଂହ ଏହାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଯେ, ଦେଶରେ ମୁସଲିମ ବିରୋଧୀ ଭାବନା ବଢୁଛି ଏବଂ ଏଥିରୁ ବିଜେପିର ଶକ୍ତି ବଢି ଚାଲିଛି।

ଓବାମା ନିଜର ପୁସ୍ତକ A promised landରେ କହିଛନ୍ତି, ମନମୋହନ ସିଂହଙ୍କ ମନରେ ଡର ଥିଲା ଯେ, ଦେଶରେ ମୁଖ୍ୟ ବିରୋଧୀ ଦଳ ବିଜେପିର ପ୍ରଭାବରେ ମୁସଲିମ-ବିରୋଧୀ ଭାବନା ବଢିବାରେ ଲାଗିଛି। ଓବାମା ଏହା ମଧ୍ୟ କହିଛନ୍ତି, ରାଜନୈତିକ ଦଳ ମଧ୍ୟରେ କଟୁ ବିବାଦ, ବିଭିନ୍ନ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଓ ଦୁର୍ନୀତି ସତ୍ଵେ ଆଧୁନିକ ଭାରତର କାହାଣୀକୁ ଅନେକ ଦୃଷ୍ଟିରୁ ସଫଳ କୁହାଯାଇ ପାରିବ।

ଆମେରିକାର ୪୪ତମ ରାଷ୍ଟ୍ରପତି ରହିଥିବା ଓବାମା ନିକଟରେ ପ୍ରକାଶିତ ନିଜର ପୁସ୍ତକରେ କହିଛନ୍ତି ଯେ, ୧୯୯୦ ଦଶନ୍ଧିରେ  ଭାରତର ଅର୍ଥବ୍ୟବସ୍ଥା ବଜାର ଆଧାରିତ  ହୋଇଛି। ଏଥିରେ ଭାରତୀୟଙ୍କ ଅସାଧାରଣ ଉଦ୍ୟମିତା, ଦକ୍ଷତା ସାମ୍ନାକୁ ଆସିଛି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟମବର୍ଗର ବିସ୍ତାର ଘଟିଛି।